Unknown

 

 

 

 

 

 

 

 

 

ବଳରାମ ଦେବ

ସ୍ୱଭାବକବି ଗଙ୍ଗାଧର ମେହେର

 

(ରାଗ ବଙ୍ଗଳାଶ୍ରୀ)

 

ଦିନକରେ ନବ- କମଳିନୀ ସଙ୍ଗେ

ଭ୍ରମର ବିଳାସ ଚାହିଁ,

ରାଗଯୁକ୍ତ ହୋଇ ଅସ୍ତାଚଳ କୋଳେ

ପହୁଡ଼ିଲେ ଦିନସାଇଁ ।

କୁମୁଦିନୀ ପ୍ରେମ ପରୀକ୍ଷା ମାନସେ

ଆସି ଆସି ଗୋପନରେ,

ଆଚମ୍ବିତେ ବିଧୁ ପରକାଶ ହୋଇ

ଗଲେ ମଧ୍ୟ-ଗଗନରେ ।

କୁମୁଦିନୀ କାନ୍ତ- ବିରହ ବିଧୁରେ

ହୋଇଥିଲା ମ୍ଳାନମୁଖୀ,

କାନ୍ତ ଦରଶନେ ପ୍ରସନ୍ନ ବଦନେ

ବିକଶିଲା ହୋଇ ସୁଖୀ ।

ପତିପରାୟଣା ପ୍ରଣୟ ସୁଧାଂଶୁ

ହୋଇ ଆହ୍ଲାଦିତ ମନ,

ପ୍ରେମ ଗଦଗଦେ ଶୀତଳ କୋମଳ

କରେ କଲେ ଆଲିଙ୍ଗନ ।

 

ମର୍ତ୍ତ୍ୟ ନିବାସିନୀ ପ୍ରେମେ ବଶ ଚନ୍ଦ୍ର

ଦେଖିବାକୁ ତାରାମାନେ,

ଳଜ୍ଜାଭରେ ମୁଖ ଦେଖାଇ ନପାରି

ଲୁଚିଗଲେ ଅପମାନେ ।

ବିପଦ ସମ୍ପଦ ଚିରସ୍ଥାୟୀ ନୁହେଁ

ଘୂର୍ଣ୍ଣମାନ ଭାବଚକ୍ରେ,

କ୍ଷଣକେ ବିପଦ କ୍ଷଣକେ ସମ୍ପଦ

ବିପଦ ପୁଣି ଦଣ୍ଡକେ ।

ସୁଧାକର କ୍ଷଣେ କୁମୁଦିନୀ ନେତ୍ରେ

ଲଗାଇ ଅମୃତାଞ୍ଜନ,

କ୍ଷଣକରେ ପୁଣି ଛାଡ଼ିଗଲେ ଦେଇ

ସେ ନେତ୍ରେ ନୀହାର ବନ ।

ନିଶୀଥରେ ଯାଇ ବାରୁଣୀ ମନ୍ଦିରେ

ଶୋଇଲେ ତାରକାପତି,

କୁମୁଦିନୀ ଦୁଃଖ- ଦଶା ଦେଖି ହସି-

ଉଠିଲେ ତାରକାପନ୍ତି ।

ନିବିଡ଼ ତିମିର- ଚୟ ଆଚ୍ଛାଦିଲା

କ୍ଷଣକେ ଅବନୀଗାତ୍ରେ,

ପ୍ରକୃତି ଭବନେ ଭାଗ୍ୟ-ଦୀପ କି ସେ

ଲିଭିଗଲା ଅକସ୍ମାତେ ?

ସୌଭାଗ୍ୟ ସମୟ ସ୍ପର୍ଶ କଲେ ଲୋକେ

 

ଚୂନା ପାଲଟଇ ସୁନା,

 

ଅଭାଗ୍ୟ ସମୟ ଉପଗତ ହେଲେ

 

ସୁନା ହୋଇଯାଏ ଚୂନା ।

 

ହେଉଥିଲା ଯାହା ମନୋମୁଗ୍‌ଧକର

 

ନୟନ-ପୀରତିକର,

 

ଏବେ ହେଲା ତାହା କ୍ଷଣିକ ଭିତରେ

 

ଅତିଶୟ ଭୟଙ୍କର ।

 

ଗୁଳ୍ମ-ଗୁଚ୍ଛ ବ୍ୟାଘ୍ର ଭଲ୍ଲୁକ ପରାଏ

 

ନୟନକୁ ହେଲେ ପ୍ରତେ,

 

ଯେଉଁ ବିଭୀଷିକା ମୂର୍ତ୍ତି ମନେପଡ଼େ

 

ସେ ନାଚେ ନୟନାଗ୍ରତେ ।

 

ରାତ୍ରିର ବିହ ଙ୍ଗମେ ରାବ କଲେ

 

ଭୀଷଣ ବିକଟ ସ୍ୱନେ,

 

ଯା’ଶୁଣିଲେ ଭୂତ ପ୍ରେତାଦି ଅଳୀକ

 

ଶଙ୍କା ଉପୁଜଇ ମନେ ।

 

ହେଲା ଏ ସମୟେ ଅତି ଭୟାନକ

 

ଚିତ୍ରେତ୍ପଳା-ତୀରବନ,

 

ତିମିର ତହିଁରେ ହୋଇଗଲା ସୂଚି

 

ବଦନ ଅଭେଦ୍ୟ ଘନ ।

 

ନୀରବ ଅବନୀ ସାଇଁ ସାଇଁ ସ୍ୱନ

ଶ୍ରବଣ କଣ୍ଟକ ହେଲା,

ଉଲୂକ ଶବଦ ଥରେ ଥରେ ଜନ୍ତୁ

ହୃଦୟ କମ୍ପାଇ ଦେଲା ।

ଯେତେବେଳେ ଶୁଭେ ଶାର୍ଦ୍ଦୂଳ-ତ୍ରାସିତ

ମାତଙ୍ଗ ଆରତ ସ୍ୱନ,

କାନନ କମ୍ପାଇ ଦିଏ କେତେବେଳେ

ଶାର୍ଦ୍ଦୂଳ ଘୋର ଗର୍ଜନ ।

ସର୍ବ ନରନାରୀ ନିଦ୍ରା ଅଭିଭୂତ

ଏକାଳେ ଚାଉଁର ପୂରେ,

ମୂଷାମାନେ କେଳି କରୁଥିଲେ ଭୟ

ହୃଦୟରୁ ଥୋଇ ଦୂରେ ।

ପଲ୍ଲିକି ମୁଖର କରୁଥିଲା ସୁପ୍ତ-

ମାନବ ନାସିକା-ଧ୍ୱନ,

ତାଳକ୍ରମେ ପଡ଼ି ଉଠୁଥିଲା କି ତା’

ସୁଷୁପ୍ତି ସଙ୍ଗୀତମାନ ।

ସମସ୍ତ ପଲ୍ଲିଟି ଅନ୍ଧକାରମୟ

ଆଲୁଅ କରିଛି କିଏ,

ଗୋଟିଏ ମାତର କୁଟୀରେ ଜଳୁଛି

କ୍ଷୀଣଲୋକ ଦୀପଟିଏ ।

ପଲ୍ଲବ ଆସନେ ନିଃଶଙ୍କ ହୃଦୟେ

ତହିଁ ମଧ୍ୟେ ଯୁବା ଜଣେ

କନ୍ଦରେ କେଶରୀ ପ୍ରାଏ ବସି କିସ

ଭାବୁଛନ୍ତି ମନେ ମନେ ।

ପାଶେ ପଡ଼ିଅଛି ପ୍ରକାଣ୍ଡ ଧନୁକ

ଉଜ୍ଜ୍ୱଳ ଶାଣିତ ଶର,

ଫଣୀ ଚୂଡ଼ ଶୋଭା ମଣି ପ୍ରାଏ ତାହା

ପ୍ରଦୀପାଲୋକେ ଭାସ୍ୱର ।

ଅପର–ପାର୍ଶ୍ୱରେ ଝଟକେ କଟାର

ତୀକ୍ଷ୍‌ଣଧାର ତରବାର,

ଶମନଦେବତା ଭୟେ ପଳାଇବ

ଦୀପ୍ତିକି ଚାହିଁଲେ ଯା’ର ।

ଏ ଘୋର ତାମସୀ ରଜନୀରେ ଏକା

ବସିଛନ୍ତି କେଉଁ ବୀର ?

ସୁଗଭୀର ଚିନ୍ତା- ସାଗରେ ମଗନ

ପରାଏ ମାନସ ଧୀର ।

ଦେଖି ମନେ ହୁଏ ଗୋଦାବରୀ ତାର-

କୁଟୀର –ବାସୀ ଲକ୍ଷ୍ମଣ;

ଅଗ୍ରଜ ସେବାରେ ସମସ୍ତେ ନିଶି କି

କରୁଛନ୍ତି ଜାଗରଣ ?

କିବା ବୀରବୃନ୍ଦ ମୁକୁରତନ

ସତ୍ୟବୀର ଧନଞ୍ଜୟ

ଆଚରନ୍ତି ତପ ଇନ୍ଦ୍ରନୀଳ-ଶୈଳ-

କନ୍ଦରେ ହୋଇ ନିର୍ଭୟ ।

 

 

ପାଠକ !

 

ଯେତେବେଳେ ହେଲା କୌରବ ପାଣ୍ଡବେ

 

ମହାଭୟଙ୍କର ରଣ;

 

ସେ ରଣ ତୀର୍ଥରେ ଝାସି ସ୍ୱର୍ଗେ ଗଲେ

 

ଭାରତର ବୀରଗଣ ।

 

ବ୍ରହ୍ମଶାପାନଳେ ଭାରତ ଗୌରବ-

 

ଯଦୁବଂଶ ଗଲେ ନାଶ;

 

କେଶବ ବିରହେ ପାଣ୍ଡୁସୁତମାନେ

 

ଛାଡ଼ିଲେ ସଂସାର ଆଶ ।

 

କେତେକାଳପରେ ପାପିଷ୍ଠ ଦାନବେ

 

ଅବୀରା ଦେଖି ଧରଣୀ

 

ଉଦ୍‌ଘାଟନ କଲେ ଅବାଧ୍ୟେ ତାଙ୍କର

 

ମନୋମତ କୁସରଣି ।

 

ନାନା ପରକାର ଅତ୍ୟାଚାର କଲେ

 

ଆର୍ଯ୍ୟ ଦ୍ୱିଜଗଣ ପ୍ରତି;

 

ଭୟେ ବିପ୍ରବୃନ୍ଦ ଅର୍ବୁଦ ଶିଖରୀ

 

ଶିଖରେ କଲେ ବସତି ।

 

 

 

ସେଠାରେ ନ ହେଲା ଅଦମ୍ୟ ଦାନବ

 

ଅତ୍ୟାଚାର ନିବାରିତ,

 

ପୃଷ୍ଠ କରି ତାହା ବ୍ରାହ୍ମଣମଣ୍ଡଳ

 

ଯଜ୍ଞେ ନିବେଶିଲେ ଚିତ୍ତ ।

 

ଯଜ୍ଞକୁଣ୍ଡ ମଧ୍ୟୁଁ ବୀରବର ଜନ୍ମି

 

କରିବେ ଦାନବ ନାଶ;

 

ଦାନବୋତ୍ପୀଡ଼ିତ ଦ୍ୱିଜ ମାନବର

 

ଏହିମାତ୍ର ଅଭିଳାଷ ।

 

ବୀତିହୋତ୍ର କୁଣ୍ଡ ଚଉପାଶେ ବସି

 

ସମସ୍ତେ ମଣ୍ଡଳାକାରେ,

 

ଆଶୁତୋଷ ତୋଷ କଲେ ଅବିଶ୍ରାନ୍ତ

 

ମନ୍ତ୍ରପୂତ ଘୃତଧାରେ ।

 

ଯଜ୍ଞ ଅବସାନେ ଅନଳକୁଣ୍ଡରେ

 

କ୍ରମେ ବୀର ତିନିଜଣ,

 

ଜନମିଲେ କିନ୍ତୁ ନ ପାରିଲେ କରି

 

ଦାନବଙ୍କୁ ଧରଷଣ ।

 

ତା’ ଦେଖି ବଶିଷ୍ଠ ବଦ୍ଧ ପଦ୍ମାସନେ

 

ସମାସୀନ ହୋଇ ଆପେ,

 

ମନ୍ତ୍ରପାଠ କରି ଅମରଗଣଙ୍କୁ

 

ଆହୂତି ଦେଲେ ଅମାପେ ।

 

ଦେଖୁଁ ଦେଖୁଁ ସେହି ଯଜ୍ଞ-ଅନଳରୁ

 

ତୁର୍ଭୁଜ ବୀର ଜଣେ;

 

ବାହାରିଲେ, ଚାରି କର ଶୋଭେ ଚକ୍ର

 

ଗଦା ଖଡ୍‌ଗ ଶରାସନେ ।

 

ସ୍ଥୂଳୋନ୍ନତ ତନୁ ପ୍ରଶସ୍ତ ଲଲାଟ

 

ବର୍ମାବୃତ କଳେବର;

 

ପୃଷ୍ଠଭାଗେ ଯେଉଁ ତୂଣୀର ଲମ୍ବିଛି

 

ପୂର୍ଣ୍ଣ ହୋଇଅଛି ଶର ।

 

ହେଲେ ଚତୁର୍ଭୁଜ ଚୌହାନ ନାମରେ

 

ଅଭିହିତ ବୀରୋତ୍ତମ,

 

ନାଶିଲେ ଦୁର୍ଜ୍ଜୟ ଦୈତ୍ୟକୁଳ କରେ

 

ରବି କରେ ଯଥା ତମ ।

 

ଅକ୍ଷୟ କୀରତି- ମୀନ ଅରଜିଲେ

 

ତାଙ୍କ ବଂଶଧରଗଣ;

 

ଅକ୍ଷୁଷ୍ଣ ଭାବରେ କଲେ ବହୁକାଳ

 

ଭାରତରେ ରାଜପଣ ।

 

ଆର୍ଯ୍ୟ ଗଉରବ ଗୋଧୂଳି ତପନ

 

ପୃଥୁ ହେଲେ ଦିଲ୍ଲୀଶ୍ୱର,

 

ଇତିହାସେ ଅଛି ଅକ୍ଷୟ ଅକ୍ଷରେ

 

କୀର୍ତ୍ତିରାଜି ଏହାଙ୍କର ।

 

ଆର୍ଯ୍ୟମାନଙ୍କର ଭାଗ୍ୟ ଚକ୍ର କାଳ-

 

କ୍ରମେ ହେଲେ ଆବର୍ତ୍ତନ,

 

ଭାରତ-ଜନନୀ ଭାଗ୍ୟେ ଲେଖାଥିଲା

 

ତା’ ପତି ହେଲେ ଯବନ ।

 

ପରାଧୀନଠାରୁ ମୃତ୍ୟୁ ଶ୍ରେୟଃ ଜାଣି

 

ଚୌହାନ ପୁଙ୍ଗମ ଗଣେ,

 

ସ୍ୱାଧୀନତା ରତ୍ନ ରକ୍ଷଣ ଲାଳସେ

 

ପ୍ରାଣ ଦେଲେ ରଣାଙ୍ଗନେ

 

ରମାଇ ନାମରେ ଶିଶୁ ଜଣେ ତାଙ୍କ

 

ଛାଡ଼ି ନିଜ ରାଜ୍ୟ ଆଶ,

 

ପାଟଣାକୁ ଆସି ବ୍ରାହ୍ମଣ –ମନ୍ଦିରେ

 

ସ୍ୱଚ୍ଛନ୍ଦରେ କଲେ ବାସ ।

 

ଏ କାଳେ ପାଟଣା ରାଜା-ସିଂହାସନେ

 

ଥିଲେ ନାହିଁ ନରପତି;

 

ଆଠଜଣ ପ୍ରଜା ଦିନେ ଦିନେ ବସି

 

ରାଜକାର୍ଯ୍ୟ ବିଚାରନ୍ତି ।

 

ଲେମ୍ବୁଟିଏ ମାତ୍ର ଅଧିଷ୍ଠିତ ଥାଏ

 

ରାଜ ସିଂହାସନ ପରେ;

 

ଯାହା ପାଳି ପଡ଼େ ରାଜପଣ କରେ

 

ଲେମ୍ବୁଟିଏ ଧରି କରେ ।

 

ସେହି ଅଷ୍ଟଜଣ ମଲ୍ଲିକ ନାମରେ

 

ହେଉଥିଲେ ଅଭିହିତ,

 

‘ଆଠମଲ୍ଲିକରେ ଲେମ୍ବୁ ରାଜା’ ବୋଲି

 

ଅଦ୍ୟାପି ହୁଏ କଥିତ ।

 

ସିଂହାସନେ ବସି ଲେମ୍ବୁ ଧରିଥିଲେ

 

କିବା ବଡ଼ କିବା ସାନ;

 

ଯାହାକୁଯେମନ୍ତ ଆଜ୍ଞା ଦିଅନ୍ତି ତା’

 

କଦାପି ନ ହୁଏ ଆନ

 

ଏହିରୁପେ ହେଉ ଥାଏ ପାଟଣାର

 

ରାଜକାର୍ଯ୍ୟ ସମ୍ପାଦିତ

 

ସମୟ କ୍ରମରେ ବୃଦ୍ଧ ବିପ୍ରଙ୍କର

 

ପାଳି ହେଲା ଉପସ୍ଥିତ ।

 

ପୀଡ଼ିତ ଥିବାରୁ ଶିଶୁ ରମାଇଙ୍କୁ

 

ପଠାଇଦେଲେ ସ୍ଥବିର,

 

ସିଂହାସନେ ବସି ବିଚିତ୍ର ରାଜତ୍ୱ

 

କଲେ ସେ ରମାଇ ବୀର ।

 

ପ୍ରଥମେ ଅପର ସପ୍ତ ମଲ୍ଲିକରେ

 

ମସ୍ତକ ଖଡ୍‌ଗେ ଛେଦି,

 

ସେ ସପ୍ତ ମସ୍ତକୋ ପରେ ବନାଇଲେ

 

ରାଜସିଂହାସନ ବେଦି ।

 

ଅଦଭୁତ କର୍ମ ଦରଶନେ ସେହି

 

ସପ୍ତ ବର୍ଷ ବାଳକର,

 

ରାଜଲକ୍ଷ୍ମୀ ସହ ଭାଗ୍ୟଲକ୍ଷ୍ମୀ ଆସି

 

ଯୋଡ଼ିଲେ କର ପତର ।

 

ସେହି ଦିନୁ ବୀର ସିଂହାସନେ ବସି

 

ଏକା କଲେ ରାଜପଣ;

 

ଭକ୍ତିସହକାରେ ବିଷ୍ଣୁ ପ୍ରାୟେ ତାଙ୍କୁ

 

ପୂଜିଲେ ପରଜାଗଣ ।

 

ନରସିଂହ ଦେବ ବଳରାମ ଦେବ

 

ନାମେ ବେନି ସହୋଦର,

 

ସେ ଚୌହାନ କୁଳ- ପ୍ରଦୀପ ରମାଇ

 

ଦେବଙ୍କର ବଂଶଧର ।

 

ଅଙ୍ଗ ତରଙ୍ଗିଣୀ ଦକ୍ଷିଣ ଭୂଖଣ୍ଡେ

 

ନରସିଂହ ଅଧୀଶ୍ୱର;

 

ଉତ୍ତର ଅବନୀ ପଡ଼ିଲା ଭାଗ୍ୟରେ

 

ବଳରାମ ଦେବଙ୍କର ।

 

ଏହିଟି ଅଟନ୍ତି ସେହି ବଳରାମ

 

ବସି ଭାବୁଛନ୍ତି ମନେ;

 

କି ଉପାୟ ରାଜ୍ୟ ସ୍ଥାପନ କରିବେ

 

ନିବିଡ଼ ନିର୍ଜ୍ଜନ ବନେ ।

 

ଯାଇଥିଲେ ପରା ଆଖେଟକୁ ଆଜି

 

ମହାନଦୀ ହୋଇ ପାର;

 

ଶ୍ୱାନକୁ ଶଶକ ଆକ୍ରମଣ କଲା

 

ଦେଖି ହେଲେ ଚମତ୍କାର ।

 

ତେତିକି ବେଳରୁ ଭାବି ଭାବି ବୀର

 

ପାଉ ନାହାନ୍ତି ତା’ କୂଳ,

 

ଭାଗ୍ୟଦେ ବୀ ତାଙ୍କୁ ଅନୁକୂଳ କିମ୍ବା

 

ହୋଇଛନ୍ତି ପ୍ରତିକୂଳ ।

 

ନିଶି ଆସି ହେଲା ଚତୁର୍ଥ ପ୍ରହର

 

ବିରଳ ହୋଇଲା ଧ୍ୱାନ୍ତ;

 

ସଧୀରେ ବହିଲା ଚିତ୍ରୋତ୍ପଳ ନୀର

 

ଆଲିଙ୍ଗ ଶୀତଳ ବାତ ।

 

ବସି ବସି ବୀର ବିଶାଳ ନୟନ

 

ନିମୀଳିତ ହେଲା ଭୋଳେ;

 

ଏକାଳେ ସ୍ୱପନ- ରାଜ୍ୟେ ବିଚରିଲେ

 

ମୃଗୟା –ବିନୋଦୀ ବୀର;

 

ମୃଗ ଅନ୍ୱେଷଣେ ଭ୍ରମୁ ଭ୍ରମୁ ଗଲେ

 

ଚିତ୍ରୋତ୍ପଳା ନଦୀତୀର ।

 

ମୃଗ ଲାଳସାରେ ଇତସ୍ତତଃ ଚାହୁଁ

 

ପଡ଼ିଗଲା ବୀର ଲକ୍ଷ୍ୟେ;

 

ପଥର ଉପରେ ଜଳୁଅଛି ଏକ

 

ପଦୀପ ତଟିନୀବକ୍ଷେ ।

 

ପ୍ରଦୀପ ନିକଟେ ପରିଦୃଶ୍ୟ ହେଲା

 

ସୀମାନ୍ତିନୀ ରି ଜଣେ,

 

ହରିତ ଅମ୍ବର ପିନ୍ଧି ବସିଥିଲା

 

ଉତ୍ତରାସ୍ୟେ ପଦ୍ମାସନେ ।

 

ମସ୍ତକରେ କିସ ଝଟକଇତା’ର

 

ପାହାନ୍ତିଆ ତାରା ପରି ।

 

ଦେଖି ବଳାରାମ ପୁଲକିତ ଗାତ୍ର

 

ଅନିମେଷ ହେଲା ନେତ୍ର,

 

ବିସ୍ମୟ-ତରଙ୍ଗେ ପରିପ୍ଳୁତ ହେଲା

 

ପ୍ରଶସ୍ତ ହୃଦୟ-କ୍ଷେତ୍ର୍ ।

 

ଏ କି ଚମତ୍କାର! ବୋଲି କେତେ ଅବା

 

ଚିନ୍ତାକଲେ ମନେ ମନେ;

 

କେଉଁ ଦେବତା ଏ କାହିଁକି ବସିଛି

 

ନଦୀଗର୍ଭେ ନିକାଞ୍ଚନେ?

 

ଅଳଙ୍କାରହୀନ କରି ଆସିଛି କି

 

ସ୍ୱର୍ଗଳକ୍ଷ୍ମୀ ସୁରଧାମ ?

 

କିବା ଜଳଦେବୀ ବିଜେ କରିଛନ୍ତି

 

‘ଚିତ୍ରୋତ୍ପଳ ’ ଏହା ନାମ ?

 

ଚିତ୍ରୋତ୍ପଳା-ସ୍ୱଚ୍ଛ ପବିତ୍ର ସଲିଳେ

 

ଅବଗାହାନେ କି ଉଷା

 

ଆସିଅଛି ଅବା ଅଳଙ୍କୃତା ହୋଇ

 

କାବ୍ୟତାରା ଶିରୋଭୂଷା ?

 

ଅବା କୃଷ୍ଣପ୍ରିୟା ଶକ୍ରାଜିତ –ସୁତା

 

ଶିରେ ସ୍ୟମନ୍ତକମଣି;

 

ମୋ’ ନେତ୍ର ପବିତ୍ର କଲେ ଦେଖା ଦେଇ

 

ସୁନ୍ଦରୀବୃନ୍ଦ ଅଗ୍ରଣୀ ।

 

ଯେ ହେଉ ସେ ହେଉ ସମୀପକୁ ଯାଇ

 

ତୋଷିବ ନୟନଦ୍ୱୟ;

 

ଦେବୀ ହେଲେ ପାଦେ ପୂଜିବି ଆନନ୍ଦେ

 

ହେଳେ ନେବି ପରିଚୟ

 

ନିର୍ଭୟ ଭାବରେ ବୀରୋଚିତ ହୃଦେ

 

ଏତେ ଭାବି ବୀରବର;

 

ତଟିନୀ ଗର୍ଭକୁ ଉତୁରି ସୁନ୍ଦରୀ-

 

ନିଗେ ହେଲେ ଅଗ୍ରସର

 

ପାର ହୋଇଯାଇ ଅବିଳମ୍ବେ ଶୁଭ୍ର

 

ଶିଶିର-ସିକ୍ତ-ପୁଳିନ;

 

ଦେଖିଲେ ଗଭୀର ନୀଳ ଜଳରାଶି

 

ହୋଇଅଛି ସମ୍ମୁଖୀନ ।

 

ଅତି ଭୟାନକ ଅହୋରାତ୍ର ଯାହା

 

ନକ୍ରକୁଳ ସଞ୍ଚରଣେ,

 

ଝାମ୍ପ ଦେଇ ବୀର ଅକୁତୋ-ଭୟରେ

 

ପାର ହେଲେ ସନ୍ତରଣେ ।

 

ଜଳ-ଜର୍ଜ୍ଜରିତ କଳେବର ଯାଇ

 

ସୁନ୍ଦରୀ ମଗରେ ଠିଆ

 

ହୋଇ ପାଚାରିଲେ, ‘‘କହ ତୁ କିଏ ସେ,

 

ନାରୀର କି ଏଡ଼େ ହିଆ ?

 

ନୋହୁ ତୁ ମାନବୀ ଦାନବୀ କିନ୍ନରୀ

 

ନିଶ୍ଚେ ହୋଇଥିବୁ ଦେବୀ,

 

ତୋତେ ଦେଖି ଆଜ ଚରିତାର୍ଥ ହେଲି

 

ତୋ ପୂଜାକୁ ମୁଁ କି ଦେବି ?

 

ସ୍ୱର୍ଗ-ବିଳାସିନି! ନନ୍ଦନ-ବିହାର

 

ଛାଡ଼ି କହ କେଉଁ ମନେ ?

 

ନୀଗର୍ଭେ ଆସି ପାଷାଣେ ବସିଛୁ

 

ନିର୍ଜନ ବେତସ ବନେ ?

 

ବଳରାମ ବାକ୍ୟେ ପ୍ରସନ୍ନା ସୁନ୍ଦରୀ

 

କହିଲେ ଅଳପ ହସି,

 

ଅକଳଙ୍କ ଚନ୍ଦ୍ର- ମଣ୍ଡଳରୁ କି ସେ

 

ପୀୟୂଷ ପଡ଼ିଲା ଖସି !

 

‘‘ଆଦ୍ୟୋପ୍ରାନ୍ତ ସବୁ ବର୍ଣ୍ଣନା କରୁଛି

 

ଶୁଣ ସବୁ ବଳାରାମ,

 

ଜଗତର ଅତି- ଜନନୀ ମୁହଟିଁ

 

ସର୍ମଲାଈ ମୋର ନାମ ।

 

କୈତବ ରୂପରେ ବହୁକାଳ ଗଙ୍ଗା

 

ଚିତ୍ରୋତ୍ପଳା ନାମବହି;

 

ପୂର୍ବ ପୟୋଧିରେ ମିଶୁଛନ୍ତି ଏହି

 

ମହେନ୍ଦ୍ର କାନ୍ତରେ ବହି ।

 

‘‘ସ୍ୱଚ୍ଛ ସୁମଧୁର ସଲିଳ ଏହାର

 

ପାପା-ତାପ କରେ ନାଶ,

 

ଏହାର ପବିତ୍ର ମିଶୁଛନ୍ତି ଏହି

 

କାଳରୁ କରିଛି ବାସ ।

 

ଏହାର ପବିତ୍ର ନିର୍ମଳ ସଲିଳେ

 

ବନବାସ କାଳେ ସ୍ନାନ

 

କରିବା ମାନସେ ଜାୟାନୁଜ ସଙ୍ଗେ

 

ଆସିଥିଲେ ରଘୁରାଗ

 

ନର ଅବତାର ନାରାୟଣଙ୍କର

 

ଚରଣେ କରି ଅର୍ଚ୍ଚନା,

 

ପାଦଚିହ୍ନ ଏଥି ଦେଇଯିବା ପାଇଁ

 

ବିନୟେ କଲେ ପ୍ରାର୍ଥନା ।

 

ପରସନ୍ନ ହୋଇ ପଦଚିହ୍ନ ଦେଇ

 

ଭାବଗ୍ରାହୀ ରଘୁବୀର,

 

ଏଠାରୁ ଶବରୀ ନାରାୟଣ ଦେଇ

 

ଗଲେ ଗୋଦାବରୀ ତୀର ।

 

ଅଭୟା ଶ୍ରୀରାମ- ଚଣ୍ଡୀ ରଖିଗଲେ

 

ପଥେ ଇବ ନଦୀକୂଳେ,

 

ଅଭୟାଦାୟିନୀ ହୁଅନ୍ତି ସେ ଘୋର

 

ବିପଦେ କ୍ଷତ୍ରିୟକୁଳେ ।

 

ସେଦିନ ପ୍ରତ୍ୟହ ନିଶା ଅବସାନେ

 

ଅବଗାହି ଏହି ପାଦ;

 

ବିବିଧ କାନନ କୁସୁମରେ ପୂତ (ପୂଜା)

 

ଗ୍ରହଣ କରେଁ ପ୍ରସାଦ ।

 

ଆଜି ହୋଇଥିଲା ଶ୍ରୀରାମ-ନବମୀ

 

ରାଘବ ଜନ୍ମ –ବାସର,

 

ଶ୍ରୀପଦ ଅର୍ଚ୍ଚନା ସଙ୍ଗ ସମୟରେ

 

ଆସିଅଛୁ ବୀରବର ।

 

ଏତେ କହି ‘ଦେଖ’ ବୋଲି ପଦଚିହ୍ନ

 

ଦେଖାଇ ଦେଲେ ସତ୍ୱରେ,

 

ଦେଖି ବଳାରାମ ସାଷ୍ଟାଙ୍ଗ ପ୍ରଣାମ

 

କଲେ ଅତି ଭକ୍ତିଭରେ ।

 

ଉଠି ସେହିରୂପେ ପ୍ରଣିପାତ କରି

 

ଦେବୀଙ୍କଚରଣତଳେ;

 

ଆଣ୍ଠୁ ମାଡ଼ି ବସି କୃତାଞ୍ଜଳିପୁଟେ

 

ସବିନୟେ ସ୍ତୁତି କଲେ ।

 

‘‘ଜୟ ଚରାର ଜଗତ-ଜନନୀ

 

ଜୟ ରାଜରାଜେଶ୍ୱରୀ;

 

ଆରତୀ ଆରତ ଘୋର ତରଙ୍ଗିଣୀ

 

ତରଣେ ତୋ’ ପଦ ତରୀ ।

 

ଅମଳ କମଳ ଚରଣଯୁଗଳେ

 

ଶରଣ ଗଲି ଆକୁଳେ,

 

ଶରଣରକ୍ଷଣୀ ଲଗାଅ ବହନ

 

ସଙ୍କଟ –ସାଗରକୂଳେ ।

 

ବିପନ୍ନ ବିପଦ- ଦାବାଗ୍ନି-ନାଶିନୀ

 

ତୋହୋ କୃପା କାଦମ୍ବିନୀ,

 

କୃପାକର ମୋତେ ଅଘ-ମରଦିନୀ

 

ଅଭୟ ବର-ଦାୟିନି !

 

ଭାଗ୍ୟବଳେ ଆଜ ଦର୍ଶନ କରି ତୋ’

 

ଅଭୟ-ଚରଣଦ୍ୱୟ ,

 

ଭାନୁକରେ ତମ- ସଂହତି ପ୍ରାୟେ ମୋ’

 

ପାପରାଶି ହେଲା କ୍ଷୟ ।

 

ନିଶ୍ଚୟ ଜାଣିଲି ଆଜି ହେଲା ମୋର

 

ପୂର୍ବ-ପୁଣ୍ୟ ଫଳଦୋୟ,

 

ଏତେ କାଳେ ଯାହା ପାଇଲି ଜନନୀ

 

ତୋହେ ଶୀଚରଣାଶ୍ରୟ ।

 

ଉଦ୍ୟାନରେ ମୋର କଳପ ପାଦପ

 

ଥୋଇ ଦେଇଅଛି ବିଧି,

 

ତୋହେ କୃପା ହେଲେ ଶରଣବତ୍ସଳେ

 

ଲୋଡ଼ା ଆଉ କେଉଁ ସିଦ୍ଧି ।

 

ପାହିଲା ମୋହୋର ଦୁଃଖ-ବିଭାବରୀ

 

ଆସିଲା ସୁଖ-ପ୍ରଭାତ,

 

ତୋ’ କୃପା-ମିହିର ଉଦୟ ହେଉ ମୋ’

 

ଭାଗ୍ୟାକାଶେ ଜଗନ୍ମାତ !

 

ଚୌହାନ ବଂଶଜ ନୃପନନ୍ଦନ ମୁଁ

 

ଏଣୁ ଯୋଡ଼ି କରପତ୍ର

 

ଛାମୁରେ ଜଣାଏ ଶ୍ରୀଛାମୁରୁ ମୋତେ

 

ଆଜ୍ଞା ହେଉ ରାଜଛତ୍ର

 

ପ୍ରତିଦିନ ତୋର ଶ୍ରୀପଦ-ପଙ୍କଜ

 

କରୁଥିବ ଦରଶନ,

 

ଯହିଁ ଥିଲେ ତୋର ପରସାଦ ବିନା

 

କରିବି ନାହିଁ ଭୋଜନ ।

 

‘‘ଏହି ନିୟମରେ ଚଳିବେ ଆବର

 

ଯେତେ ମୋର ବଂଶଧର,

 

ଚିରସ୍ଥାୟିନୀ ତୋ’ କୃପା ହେଉ ମୋର

 

ବଂଶେ ଦିଅ ଏହି ବର ।

 

ପରସନ୍ନେ ଦେବୀ ସହାସ୍ୟେ ଭାଷିଲେ,

 

‘‘ଜାଣିଅଛି ତୋର ମନ,

 

ରାଜକୁମାର ତୁ ରାଜତ୍ୱ ନିନ୍ତେ

 

କରିଅଛୁ ଆଗମନ ।

 

ମୋ ପ୍ରିୟ କାନନେ ମୃଗୟା କଲୁ ତୁ

 

ମୋହୋ ଆରାଧନା ବିନା,

 

ପୋଷିତ ଶଶକ ତୋହୋ କୁକୁରକୁ

 

ତେଣୁ ଆକ୍ରମିଲା ସିନା ।

 

ଦେଖି ତୋ’ ସାହସ ପରସନ୍ନ ହେଲି

 

ମୋତେ ସେବି ରାଜ୍ୟ କର,

 

ସତ୍ୟ ନ୍ୟାୟ ଧର୍ମ ସର୍ବତ୍ର ଜୟର

 

ହୃଦେ ଲେଖ ଷଡ଼କ୍ଷର ।

 

ଏହା ବଳେ ରାମ ତ୍ରିପୁରବିଜୟୀ

 

ରାବଣକୁ କଲେ ଧ୍ୱଂସ;

 

ଭାରତ ଭୀଷଣ ସମରେ ପାଣ୍ଡବେ

 

ନାଶ କଲେ କୁରୁବଂଶ ।

 

ରାଜା ବୋଲି ଅହଂ- କାରନ କରିବୁ

 

ନହରିବୁ ପରଦାର,

 

ନିରୀହ ସାଧବ ପରଙ୍କାଜ ପ୍ରତି

 

ନକରିବୁ ଅତ୍ୟାଚାର ।

 

ଏ ଘୋର କାନନ ପରିଣତ ହେଉ

 

ମନୋହର ରାଜ୍ୟରୂପେ,

 

ମହାରାଜା ହୋଇ ପୂଜିତ ହୁଅ ତୁ

 

ଚତୁର୍ଦ୍ଦିଗ ଚାରି ଭୂପେ

 

ଶ୍ରୀରାମ ପ୍ରସାଦ ଧର ବତ୍ସ, ତୋତେ

 

ବିଧି ହେଉ ଅନୁକୂଳ –’’

 

ବୋଲି ବଳରାମ- ହସ୍ତେ ଦେଲେ ଦେବୀ

 

ସୁବାସ ଧବଳ ଫୁଲ ।

 

ଏ କାଳେ ଚାଉଁର- ପୁରେ ଚୁଡ଼ାକୁଟା

 

ଢେଙ୍କିଗରଜିଲା ଘନେ,

 

ସୁଷୁପ୍ତି ଭଞ୍ଜନ ହୋଇଗଲା ତାହା

 

ପଡ଼ିବାରୁ ବୀର କର୍ଣ୍ଣେ ।

 

ଉଠି କରି ବୀର ଚୌଦିଗେ ଚାହିଁଲେ

 

ନେତ୍ର ଉନ୍ମୀଳନ କରି;

 

ପଲ୍ଲବ ଆସନେ ଆସୀନ ଆପଣେ

 

ନାହିଁ ସେ ଶୁଭ ସୁନ୍ଦରୀ

 

ଶଯ୍ୟା ତେଜି ବୀର ତରତରେ କରି

 

ପ୍ରାତଃକୃତ୍ୟ ସମାପନ ,

 

ସ୍ୱପ୍ନନ ଦର୍ଶିତ ସ୍ଥାନେ ପ୍ରବେଶିଲେ

 

କରି ନାବ ଆରୋହଣ ।

 

ଚୌଦିଗେ ଗଭୀର ଶ୍ୟାମ ଳ ସଲିଳ

 

ହୋଇଅଛି ପ୍ରବାହିତ,

 

ମଧ୍ୟରେ ପ୍ରସ୍ତର- ଖଣ୍ଡ ହୋଇଅଛି

 

ମାନବ ପଦଲାଞ୍ଛିତ ।

 

ପ୍ରବାହ କମ୍ପିତ ବେତସ-ବଲ୍ଲରୀ

 

-ସମାକୀର୍ଣ୍ଣ ଚଉପାଶେ,

 

ଚିତ୍ରୋତ୍ପଳା କିବା ବାମର ଢାଳଇ

 

ପଦାଙ୍କରେ ପ୍ରେମାଚ୍ଛ୍ୱାସେ ।

 

ଚାହିଁ ବଳରାମ ବନ୍ଦିଲେ ସପତ

 

ବାର କରି ପ୍ରଦକ୍ଷିଣ,

 

ସେହି ଦିନୁ ଯାଇ ନାନା ଉପଚାରେ

 

ପୂଜା କଲେ ପତିଦିନ ।

 

 

(ଭିନ୍ନ ଛନ୍ଦରେ ଲିଖିତ)

 

ଲୋହିତ ବସନା ଉଷା ଉଜ୍ଜ୍ୱଳବରନା

ଗୋଟିଏ ଉଜ୍ଜ୍ୱଳ ରତ୍ନ କୁନ୍ତଳ ଶୋଭନା

।।

ଶୁଭେ ପଦ ପକାଇଲା ଅବନୀ ଉପରେ

ଜଗତରୁ ପଳାଇଲା ତମ ତରେତରେ

।।

ପ୍ରକୃତି ଯେ ଅନର୍ଗଳ ତିମିର ଗରଳେ

ଘାରି ହୋଇ ପଡ଼ିଥିଲା ଅବନୀମଣ୍ଡଳେ

।।

ବିହଙ୍ଗମ ସ୍ୱନ ମନ୍ତ୍ରେ ଉଷା କି ଝାଡ଼ିଲା

ବଦନେ ସଲିଳ ସିଞ୍ଚି ସ୍ନେହେ ଉଠାଇଲା

।।

ଚିତ୍ରଭାନୁ ପୂଜିବାକୁ ବେନି ସହଚରୀ

ତୋଳିଲେ ବିବିଧ ଫୁଲ ବିପିନେ ବିଚରି

।।

କାଲି ଭୃଙ୍ଗ ବିନୋଦିନୀ ନଳିନୀ ବଦନ

ଚାହିଁ ରାଗେ ଯାଇଥିଲେ ଦେବ ବିକର୍ତ୍ତନ

।।

ସେହି ରାଗ ଦୃଷ୍ଟି ଆଜ ନଳିନୀ ଉପରେ

ବାତେ ଯା’ ନଳିନୀ ଥରେ ଭୟେ ସିନା ଥରେ

।।

ଲମ୍ପଟ ଷଟ୍‌ପଦ ଯାହା ସରୋଜିନୀ ଅଙ୍କେ

ବଳାତ୍କାରେ ପଶିଥଇଲା ପଡ଼ିଲା ଆତଙ୍କେ

।।

 

ବାନ୍ଧି ରଖିଥିଲା ତାକୁ ଚତୁରୀ ପଦ୍ମିନୀ

କାନ୍ତ ଆଗେ ହୁଡ଼ି ହେଲା ବିରହ ମାନିନୀ

।।

ତା’ ଦେଖି ତରଣି ରାଗଭାବ ତେଜି ଖରେ

ଶିଶିର ଲୋତକ ତା’ର ପୋଛିଲେ ସ୍ୱକରେ

।।

ସ୍ୱକରେ ତରଙ୍ଗ ବିମ୍ବେ ରତନ ନୂପୁର

ଢ଼ି ତା’ପୟରେ ମଣ୍ଡି ମାନ କଲେ ଦୂର

।।

ଦେବୀ ବରେ ଉତ୍ସାହିତ ବୀର ବଳରାମ

ଚିତ୍ରୋତ୍ପଳା ଉତ୍ତର କୂଳରେ କଲେ ଧାମ

।।

ଆଦ୍ୟେ ସମଲାଇ ମୂର୍ତ୍ତି କରି ପ୍ରତିଷ୍ଠାନ

ପୂଜା କଲେ ମାନି ସ୍ୱପ୍ନ ପ୍ରତିଜ୍ଞା ବିଧାନ

।।

ନଗର ବସତି କଲେ କଟାଇ କାନନ

ଦୂର ଦୂର ଦେଶୁ କରି ପ୍ରଜା ଆନୟନ

।।

ଆପଣା ହସ୍ତରୁଦେଇ ପରଜାଙ୍କୁ ଧନ

ପୁତ୍ର ସମେ ସ୍ନେହ କରି ତୋଷୁଥାନ୍ତି ମନ

।।

ବଳରାମ ଦେବଙ୍କର ଭୁଜ ପରାକ୍ରମେ

ଚତୁର୍ଦ୍ଦିଗେ ରାଜ୍ୟସୀମା ବୃଦ୍ଧି ହେଲା କ୍ରମେ

।।

 

*****